Unknown

 

 

 

 

 

 

 

 

 

 

ବାତଦୂତ

ଗୋପୀନାଥ ଦେବ

 

ପୂର୍ବାର୍ଦ୍ଧ

ରାଗ- ରାମକେରୀ

 

ଶିଶୁଚନ୍ଦ୍ର କଳାଳଙ୍କାର

ଶୋଭାବତୀ ଜନନୀ !

ପୂର୍ଣ୍ଣ କର ମନୋରଥ ଗୋ

ସର୍ବ ବିଘ୍ନ ନାଶନି । ୧ ।

 

ଯେବେ ବୃକ୍ଷପର୍ବା ନନ୍ଦିନୀ

ସର୍ବ ଲକ୍ଷଣବତୀ

ଜଳକେଳି କାଳେ ଭାର୍ଗବୀ

ଦେବଯାନୀଙ୍କ ପ୍ରତି । ୨ ।

 

ବାସ ପରିବର୍ତ୍ତେ ସରୋଷେ

କହି କଟୁ ବଚନ

ପେଲିଦେଇ କୂପେ ଅରଣ୍ୟେ,

ଗଲେ ନିଜ ଭବନ । ୩ ।

 

ତଦା ମହାରାଜା ଯଯାତି

ମୃଗୟାର୍ଥ ସେ ବନେ

 

ବୁଲୁଥିଲେ, ଆର୍ତ୍ତନିନାଦ

ପଡ଼ିଗଲା ସ୍ୱ କର୍ଣ୍ଣେ । ୪।

ନାଦ ଅନୁସରି ଚଞ୍ଚଳେ

ଯାଇ ଦେଖିଲେ ତହିଁ

ଉଲଗ୍ନ ଯୁବତୀ ଗୋଟିଏ

ଅଛି ସେ କୂପେ ରହି ।୫ ।

ପିନ୍ଧିବାକୁ ଶୀଘ୍ରେ ଦର୍ଶିଲେ

ଉତ୍ତରୀୟ ନିଜର

ଉଠାଇ ଆଣିଲେ ବାହାରେ

କରେ ଧରି ତା କର ।୬।

ପଚାରନ୍ତେ କହି ଯୁବତୀ

ନିଜ ବୃତ୍ତାନ୍ତଚୟ

ବୋଇଲା ଆପଣ ମୋହର

ବର ହେବେ ନିଶ୍ଚୟ । ୭ ।

ବ୍ରାହ୍ମଣ କନ୍ୟକା ଆଶଙ୍କା

ଛଡ଼ାଇଲେ ତାଙ୍କର

କାନ୍ଦି କାନ୍ଦି ତହୁଁ ଚଳିଲେ

ରୋଷେ ନିଜ ନଗର । ୮ ।

 

ପ୍ରଣାମି ପିତାଙ୍କୁ ପୁରତେ

ଉଭା ହୋଇ ସୁନ୍ଦରୀ

କହିଲା ଶର୍ମିଷ୍ଠା ବଚନ

ବାଧିଥିଲା ଯେପରି ।୯ ।

 

ଶ୍ରବଣ ମାତ୍ରକେ ନନ୍ଦିନୀ-

ଅପମାନ ନ ସହି

ରାଜ୍ୟ ତେଜି ଭୃଗୁ ଚଳିଲେ

ଅନ୍ୟସ୍ଥାନେ, ନ କହି । ୧୦।

 

ଏଥିଅନ୍ତେ ରିପୁ ଆକ୍ରାନ୍ତ

ହେଲେ ଦନୁଜମଣି,

ମନ୍ତ୍ରବିଦ କାବ୍ୟ ବିହୁନେ

ଯୁଦ୍ଧେ ଜୟ ନ ମଣି । ୧୧।

 

ଡକାଇ ତାହାଙ୍କୁ ନ ପାଇ

ରାଜା ହୋଇ ଆତୁର

ଗୁରୁ ପରିତ୍ୟାଗ କାରଣ

ପୃଚ୍ଛାକଲେ ଚତୁର । ୧୨ ।

 

କେହି ଆମ୍ଭେ କିଛି ନ ଜାଣୁ

ବୋଲି କହିଲେ ଜନେ,

ତେଣୁ ଅନ୍ତଃପୁରେ ପୁଛିଲେ

ଯାଇ ନୃପ ବହନେ ।୧୩ ।

 

ପିତାଙ୍କ ଆକୁଳ ବଚନ

ଶୁଣି ନୃପ ନନ୍ଦିନୀ

କରଯୋଡ଼ି ତାଙ୍କୁ ଶର୍ମିଷ୍ଠା

ଦେଲେ ସବୁ ବଖାଣି ।୧୪।

 

ସେହିକ୍ଷଣି କାବ୍ୟ ରହିବା

ସ୍ଥାନେ ମିଳିଲେ ନୃପ,

ବିପଦ ଜଣାଇ ଶରଣ

ଗଲେ ଯେଣୁ ସେ ଭୂପ ।୧୫।

 

କନ୍ୟାର ସନ୍ତୋଷ ବିହୁନେ

ନ ଆସିବି, ରାଜନ ।

ସ୍ୱରାଜ୍ୟେ ତେଣୁ ହେ ତାହାର

ଇଚ୍ଛା କର ପୂରଣ । ୧୬ ।

 

ସେ ବଚନେ ନିଜ ରକ୍ଷଣ

ମାର୍ଗ ପାଇ ଦାନବ

ଦେବଯାନୀ ଇଚ୍ଛା ବୁଝିଲେ

ନ ଧରି ଦୁଃଖ ଲବ । ୧୭।

 

ଶୁଣିଲେ ଶର୍ମିଷ୍ଠା- ଦାସୀତ୍ୱ

ଆବଶ୍ୟକ ତାଙ୍କର,

ସନମତ କଲେ ନୃପତି

ଯଥା ନୃପେ କିଙ୍କର । ୧୮ ।

 

ସେକ୍ଷଣି ଭାର୍ଗବ ମିଳିଲେ

ଯାଇ ନିଜ ନଗରେ,

ଖଣ୍ତିଲେ ରାଜାଙ୍କ ବିପଦ

ମନ୍ତ୍ର ତନ୍ତ୍ର ର ବଳେ । ୧୯ ।

 

ପରେ ଭୃଗୂ କନ୍ୟା ବଚନେ

ଯଯାତିଙ୍କୁ ଡକାଇ

ଅର୍ପିଲେ ଦୁହିତା ଉତ୍ସବେ

ନିଜ ପୁର ମଣ୍ତାଇ ।୨୦।

 

କହିଲେ ହେ ନୃପ ! ମୋ ସୁତା

ଅବିରୋଧେ ରହିବ      ,

ବିରୋଧ ଅବଶ୍ୟ ତୁମ୍ଭର

ବିପଦ ସମ୍ଭବିବ ।୨୧।

 

ଏତେ କହି ଦେଲେ ବିଦାୟ,

ତହୁଁ ରାଜା ଯଯାତି

ଦେବଯାନୀ ସହ ଚଳିଲେ

ମହା ଆନନ୍ଦେ ମାତି ।୨୨।

 

ସେହି ଦିନୁ ଦେବଯାନୀଙ୍କ

ଦାସ୍ୟ କର୍ମ ନିରତା,

ଶର୍ମିଷ୍ଠା ସେବନ୍ତି ଭାର୍ଗବୀ

ମନଜାଣି ସଂଯତା ।୨୩ ।

 

ଭାର୍ଗବୀ ବଚନେ ଯଯାତି

ଶର୍ମିଷ୍ଠାଙ୍କ ନିମନ୍ତେ

ନିର୍ମାଇ ନିଳୟ ରଖାଇ

ଦେଲେ ଉଦ୍ୟାନ ଅନ୍ତେ ।୨୪।

 

ଭୃଗୁ ଭୟେ ଜାୟା ବଚନ

ମାନି ନୃପଶେଖର

ତେଜିଲେ ସେ ରମ୍ୟ ଆରାମ

ଅଭ୍ୟନ୍ତର ବିହାର ।୨୫।

 

ତେଣୁ ସେ ଦନୁଜ ନାୟକ

ତନୁଜା ସୁକୁମାରୀ

ସେ ନୃପ ସ୍ୱରୂପ ସୁଗୁଣ

ଗୁଣେ ହେଲେହେଁ ଘାରି ।୨୬।

 

କି କରିବେ ଦାସ୍ୟ ରକ୍ଷଣେ

କରି ଆଜ୍ଞା ପାଳନ

ରହିଲେ ଉଦ୍ୟାନେ କେବଳ

କରି ଦୁଃଖିତ ମନ ।୨୭।

 

ଏକେତ ନୃପତି ତନୁଜା

ସର୍ବ ଲକ୍ଷଣବତୀ

ଶରଦ ସମ୍ପୂର୍ଣ୍ଣ ଚନ୍ଦ୍ରମା

ରମ୍ୟମୁଖୀ, ସୁଦନ୍ତୀ ।୨୮।

 

ମତ୍ତ ଖଞ୍ଜରିଟ ନୟନା

ଜିତ ଦର୍ପଣ ଗଣ୍ତ

ଭାଲ ତଳେ ଅର୍ଦ୍ଧସୁଧାଂଶୁ

ଶୋଭା କରିଛି ରୁଣ୍ତ ।୨୯।

 

ତିଳ ପୁଷ୍ପ ଜିଣି ସୁନାସା -

ପୁଟ ଅତି ସୁନ୍ଦର

କଟାକ୍ଷେ କରିବ ସ୍ୱାଧୀନ

ବ୍ରହ୍ମମୁନି ଅନ୍ତର ।୩୦।

 

ସୁଧାକର କର ନିନ୍ଦଇ

ଚାରୁ ହାସ ପ୍ରକାଶ

ଚିନ୍ତା ଗିର ଶୁଭେ ତାହାର

ବୀଣା ସ୍ୱର ସଙ୍କାଶ ।୩୧।

 

କମ୍ବୁକଣ୍ଠୀ ରମ୍ୟ ମୃଣାଳ

ଜୟି ବାହୁବଲ୍ଲରୀ

ଛାଡ଼ଇ ସୁଦୀର୍ଘ ନିଃଶ୍ୱାସ

ନବ ପଲ୍ଲବଧାରୀ ।୩୨।

 

କିଛି କାଳ ଅନ୍ତେ ହୋଇଲା

ଆସି ମଧୁ ସମୟ

କାମବାଣେ ତନୁ ଫୁଟିଲା

ବହେ ଧୀର ମଳୟ ।୩୩।

 

ସତୀ ଶିରୋମଣି ନୃପତି-

ପାଶେ ଦୂତ ସଂପ୍ରତି

ପ୍ରେରିବାକୁ ବାଣୀ ଭଣିଲା

ଧୀର ସମୀର ପ୍ରତି ।୩୪।

 

ପଞ୍ଚଶର ଶର ନିକରେ

ଯେଣୁ ତା- ଜ୍ଞାନ ନାହି,

ଅଚେତନ ବୋଲି ହୁଅନ୍ତା

ବିବେଚନା ବା କାହିଁ ।୩୫।

 

ଅଶ୍ରୂଜଳସିକ୍ତ ନୟନୋ-

ତ୍ପଳେ ରଚିଲା ଅର୍ଘ୍ୟ,

ମନେ ମନେ ବହୁ ଅର୍ଚ୍ଚନା

କଲା ତାରେ ଅନର୍ଘ୍ୟ ।୩୬।

 

କହିଲା ଜଗତ ପ୍ରଣୟି

ଶ୍ରୀଚନ୍ଦନ ଅଚଳ

ତୁମ୍ଭ ଜନ୍ମଭୂମି ଯେଣୁ ହେ

ଅଟ କୁଳୀନବର ।୩୭।

 

ତ୍ରିଲୋକ ମୋହନ କାରକ

ବୀରବର ମଦନ-

ମିତ୍ରତାରୁ ତବ ଶଉର୍ଯ୍ୟ

ଖ୍ୟାତ ତିନି ଭୁବନ ।୩୮।

 

ଜଗତ ପରାଣ ରକ୍ଷଣ

ହେତୁ ଜଗତ ପ୍ରାଣ,

ସକଳ ମଣିଙ୍କ ମିଥୁନୀ-

ଭାବେ ଅଟ ନିଦାନ । ୩୯

 

ଦିବି ଭୁବି ଜଳେ ଅନଳେ

ଗତି ତବ ସମାନ,

ହେ ମରୁତ ! କେହି ତୁମ୍ଭର -

ନାହିଁ ବଡ଼ ବା ସାନ ।୪୦।

 

ଏଣୁ ତୁମ୍ଭେ ଧୀର ବୋଲାଅ,

ଆହେ ସନ୍ତତ ଗତି !

ମୁଁ ଅବଳା ଜନ ହୁଅହେ

ମୋର ଗତି ସଂପ୍ରତି ୪୧।

 

ପଶିଲି ଶରଣ ରଖ ବା

ତୁମ୍ଭେ ନ ରଖ ମୋତେ,

ଉଦ୍ଧରିବ- ବୋଲି ତୁମ୍ଭକୁ

ଗଲି ମୁଁ- ପ୍ରତେ- ସତେ । ୪୨।

 

ପବନ ବୋଲିଅ ପବିତ୍ର

ଭାବ ଘେନି ଜଗତେ,

ମୋର ଅରକ୍ଷଣେ ଲୁପତ

ହେବା ତାହା ନିୟତେ ।୪୩।

 

କରୁଚି ପ୍ରଣାମ ତୁମ୍ଭଙ୍କୁ

ଶତ ସହସ୍ରବାର

ମୋ ବାରତା ପ୍ରିୟ ସମୀପେ

କର ବାରେ ପ୍ରଚାର ।୪୪।

 

ଯିବ ଯେଉଁ ମାର୍ଗେ ସେଠାକୁ

ଆଗେ କହିବି ଶୁଣ

ମୋ ସନ୍ଦେଶ ପଛେ ଶୁଣିବ

ଆହେ କାର୍ଯ୍ୟ-ନିପୁଣ ! ।୪୫।

 

ତୁମ୍ଭ ସମାଗମେ ସାନନ୍ଦେ

ଏହି ମଲ୍ଲୀ ମତଲ୍ଲି

ଭୁଙ୍ଗ ଗୁଣୁ ଗୁଣୁ କପଟେ

ଦେଉଛି ହୁଳହୁଳି ।୪୬।

 

ସୁମନ ସୁହାସ ପ୍ରକାଶେ

ଶାଖା- କର କମ୍ପାଇ

ଦେଖ ଦେଖ କେହ୍ନେ ଡ଼ାକଇ

ଏବେ ମିଳିବା ପାଇଁ ।୪୭।

 

ନ ଛାଡ଼ ସୁଯୋଗ ତା ସହ

କ୍ଷଣେ ମାତ୍ର ବିହରି

ଆଲିଙ୍ଗନ କରି ଚଳିବ

ଲବେ ହେଳା ନ କରି ।୪୮ ।

 

ପ୍ରିୟା ସନମାନ ପ୍ରାପତି

କଥାମାତ୍ର ନିୟତେ

କାମିନୀ ଜନଙ୍କ ସୌଭାଗ୍ୟ-

ଶିରୀ ଯେଣୁ ଜଗତେ ।୪୯।

 

ତହୁଁ ଯାଉ କିଛି ଉତ୍ତର

ଦିଶେ ସାନନ୍ଦ ମନେ

ଥିବ ତ ଗୋଲାପ ସୁନ୍ଦରୀ

କଣ୍ଟକିତାସଘନେ ।୫୦।

 

କଳିପୁଞ୍ଜ ରକ୍ତ ବସନ

ଗନ୍ଧ ଅନୁରାଗିଣୀ

ଚାହିଁ ରହିଥିବ ତୁମ୍ଭର

ଆଗମନ ସରଣି ।୫୧।

 

ପରକାଶୁଥିବ ଚୌଦିଗେ

ରମ୍ୟ ସୁପରିମଳ,

ତୁମ୍ଭର ଦର୍ଶନ ମାତ୍ରକେ

ହୋଇଯିବ ବିହ୍ୱଳ ।୫୨।

 

ରହି ତହିଁ କ୍ଷଣ କିଞ୍ଚିତ

ତୁମ୍ଭେ ଯଥା ସମ୍ଭବ

ବାସ ହରିନେଇ କୌତୁକେ

ତହୁଁ ଚଳିବ ଜବ ।୫୩।

 

ତାହା ପାଶେ ଥିବ ମାଧବୀ

ଗୁଛେ ହୋଇ ମଣ୍ତିତା

ରଖିଥିବ ଅନବରତେ

ହୃଦେ ତୁମ୍ଭରି ଚିନ୍ତା ।୫୪।

 

ଦରଶନ ଦେଇ ତାହାକୁ

ଅଳ୍ପ ଦେବ କମ୍ପାଇ

ପଛେ ପରଶିବ ସଧୀରେ

ତାହା ପାଶକୁ ଯାଇ ।୫୫।

 

ଯାଉଁ ଯାଉଁ ମାର୍ଗେ ଦେଖିବ

ରକ୍ତାଶୋକ ବଲ୍ଲରୀ

ଯାଉଥିବ ତାହା ସୁନ୍ଦର

ରାଗ ବାହ୍ୟେ ପ୍ରସରୀ ।୫୬।

 

ନବୀନ ପୁଷ୍ପିତା ତୁମ୍ଭର

ଆଦ୍ୟ ଦର୍ଶନ ମାତ୍ରେ

ଗୋପନ କରି ନ ପାରିବ

ନିଜ କମ୍ପନ ଗାତ୍ରେ ।୫୭।

 

ରମ୍ୟ ବାସ ଅବଗୁଣ୍ଠନେ

କରିଥିବ ଆଦର

ବଶ କରିବାକୁ ନିରତେ

ତବ ନେତ୍ର ଅନ୍ତର ।୫୮।

 

ଭୃଙ୍ଗକୁଳ ଚାରୁ ଗୁଞ୍ଜନ

ଛଳେ ତୁମ୍ଭ- କୀରତି

ଗାଉ ଥିବ ଅନବରତେ

ଦେଇ ତୁମ୍ଭରେ ମତି ।୫୯।

 

ସତୀ ଜନ ପଦସଂସର୍ଗେ

ସତୀକୁଳ ମୋହିତା

ସୌଭାଗ୍ୟ ସମ୍ପଦ ଦର୍ଶାଇ

ଅଛି ପତିବରତା ।୬୦।

 

ସର୍ବାଙ୍ଗ ଆଶ୍ଳେଷ ଅର୍ପିବ

ଗାଢ଼େ ତା ବାସ ହରି

ଅନ୍ୟଥା କିହେବ ଆଉ ବା

ଏଡ଼େ ସୁଷମା ଧରି ।୬୧।

 

ନ କରିବ ତହିଁ ବିଳମ୍ବ

ଆହେ ମଧୁ ମରୁତ !

ବିଳମ୍ବେ ବଢ଼ିବ ଯାତନା

ଯେଣୁ ମୋର ବହୁତ ।୬୨।

 

ତେଣେ ସୁପବିତ୍ରକାରକ

ତୁମ୍ଭ ପବନ ନାମ

କଳଙ୍କିତ ହେବ ନିଶ୍ଚୟ

ଆଉ ତୁମ୍ଭର ଧାମ ।୬୩।

 

ତହୁଁ କେତେଦୂର ଗମିବ

ପ୍ରଭଞ୍ଜନ ସଧୀରେ

ବକୁଳ ବନିକା ଦେଖିବ

ତହିଁ ଅତି ରୁଚିରେ ।୬୪।

 

କରୁଥିବ ପୁଷ୍ପବର୍ଷଣ

ମକରନ୍ଦ ମିଳାଇ,

ପରିମଳଭରେ ଦିଗନ୍ତ

ଦେଉଥିବ ପୁରାଇ ।୬୫।

 

ଗୁମ୍ଫା ଗୁମ୍ଫା ପୁଷ୍ପେ ମଧୁର

ଶାଖା ଶିଖାକୁ ମଣ୍ତି

ମୂଳ ଭୁବି ଘନ ଛାୟାରେ

ଥିବ ଆତପ ଖଣ୍ତି ।୬୬।

 

ମଧୁପ ନିକର ମରନ୍ଦ

ପାନେ ହୋଇ ଉନ୍ନତ୍ତ

ଭ୍ରମୁଥିବେ ତାହା ଚୌଦିଗେ

ହୋଇଣ ଇତସ୍ତତ ।୬୭।

 

ମେଳକା ପ୍ରଭୃତି ଅମରା-

ଙ୍ଗନା ତିରସ୍କାରଣୀ

ସୁଷମା ସଂପନ୍ନ ନୃପତି

ଅନ୍ତଃପୁର ଚାରିଣୀ ।୬୮।

 

ପୂଜନ୍ତି ଅନଙ୍ଗ ସେବୃକ୍ଷ-

ମୂଳେ ଭକତିଭରେ,

ପଡ଼ିଥିବ ପୂଜା କୁସୁମ

ତାହା ବିଲୋକି ଥରେ ।୬୯।

 

କ୍ଷଣମାତ୍ର ରହି ତହିଁରେ

ମୋଦେ ଦ୍ରୁମ ସହିତ

ଅଳାପିବ ନବ ମର୍ମର

ଛଳେ ମାଧବୋଦିତ ! ।୭୦।

 

ତହୁଁ ସପ୍ତଛଦ କାନନ

ବୟ ମଧୁରତର

ନୟନ ସରଣି ପଥିକ

ହେବ ନିଶ୍ଚେ ତୁମ୍ଭର ।୭୧।

 

ଗହଳ ପଲାଶ ବସନେ

ଗୁପ୍ତ ତାରକୁସୁମ

ତେଜଇ ବିରହେ ଭୃଙ୍ଗାଳି

ଛଳେ ନିଶ୍ୱାସ ଧୂମ ।୭୨।

 

କନିକା ନିକର ମୁକୁତା

ଭୁଷା ମଣ୍ତି ତା କାୟ

ଲୋଡ଼ଇ ମିତ୍ରତା ତୁମ୍ଭର

ମାତ୍ର ନିରତିଶୟ ।୭୩।

 

ପରାଗ ବିଭୂତି ନିବହେ

ଦିଶେ ହର ତୁଳିତ

ଲକ୍ଷ୍ମୀ ସାହଚର୍ଯ୍ୟୁ ମାଧବ

ପରା ରୁଚି ମଣ୍ତିତ ।୭୪।

 

କରିବ ମିତ୍ରତା ତା ସଙ୍ଗେ,

କ୍ଷଣେ ଆତିଥ୍ୟ ତାର

ଘେନି ସମାଦରେ ଆନିଳ

ହୁଅ ପବିତ୍ର ସାର ।୭୫।

 

ତହୁଁ ଯିବ କିଛି ଉତ୍ତରେ

ନିଶ୍ଚେ ଦେଖିବ ତହିଁ

ମନୋହର ନବମାଳିବା

ଚାହିଁ ରହିଛି ଯହିଁ ।୭୬।

 

ଧରିଥିବ ଶୁଦ୍ଧ କୁସୁମା-

ଞ୍ଜଳି ଅତି ଜାଗ୍ରତେ,

ଅର୍ପିବ ତୁମ୍ଭର ଚରଣ

ପଙ୍କେରୂହେ ନିରତେ ।୭୭।

 

ତୁମ୍ଭର ବିରହେ ତେଜିବ

ବୋଲି ନିଜ ଜୀବନ

ଆଳବାଳେ ଥୋଇ ଦେଇଚି

ହୃଦୁ କାଢ଼ି ବହନ ।୭୮।

 

ସହି ନ ପାରିବ ତୁମ୍ଭର

ସେହୁ ଚିର ବିରହ

ଅନାଶ୍ୱାସି ଗଲେ ସ୍ତ୍ରୀହତ୍ୟା

ପାପ ହେବ ନିଶ୍ଚୟ ।୭୯।

 

ନଚାଇଣ ଅତି ଆନନ୍ଦେ

ତାକୁ କେତେକ କ୍ଷଣ

ହସାଇ ରସାଇ ଚଳିବ

ଆହେ ଧୀର ପବନ !।୮୦।

 

ନାଗେଶ୍ୱର ବନ ଦେଖିବ

ତହୁଁ କିଛିହିଁ ଦୂରେ

ଲୋଟୁ ଥିବ ପୁଷ୍ପଭାରରେ

ଶାଖା ପ୍ରଶାଖା ଭୁରେ ୮୧।

 

ଉନ୍ନତ ସୁଗୁଣ ବସନ୍ତ !

ସେତ ଅଟେ ପ୍ରକୃତେ,

ଭାବିବେ ତୁମ୍ଭରି ଦର୍ଶନ

ହେଲା ପୂର୍ବ ସୁକୃତେ ।୮୨।

 

ନଛାଡ଼ିବେ ବହୁ କ୍ଷଣ ସେ

ଦରଶାଇ ମିତ୍ରତା,

ଶକୁନ୍ତ ନିନାଦ କପଟେ

ପରକାଶି ପ୍ରିୟତା । ୮୩।

 

ପରାଗ ମିଳିତ ମରନ୍ଦ

ଧାରା ଛଳେ ଅନିଳ

ସୁସଂସ୍କୃତ- ଅର୍ଘ୍ୟେ ପୂଜିବେ

ତୁମ୍ଭ ପଦ କମଳ ।୮୪

 

ଛାୟା ଦାନ କରି ନାଶିବେ

ତୁମ୍ଭ ସରଣି ଶ୍ରମ,

ସୁଗନ୍ଧ କୁସୁମ ସଶ୍ରଦ୍ଧେ

ଦେବେ ସେହୁ ନିର୍ମମ ।୮୫।

 

ତୁମ୍ଭ ପଦତଳେ ନମିବେ

ନିଜ ଶାଖା ନ ପାଇ,

ଆଲିଙ୍ଗିବେ ଗାଢେ ତୁମ୍ଭଙ୍କୁ

ନିଜ ଆଶା ପୂରାଇ ।୮୬।

 

ତାଙ୍କ ଭକ୍ତି ଶ୍ରଦ୍ଧା ବିନତି

ଘେନି ମୃଗବାହନ !

ନ କରିବ ତହିଁ ବିଳମ୍ବ

କେବେ ବହୁତକ୍ଷଣ ।୮୭।

 

ତହୁଁ ଯାଉଁ ଅତି ବିଚିତ୍ର

କ୍ରୀଡ଼ା ବସୁଧାଧର

ଦେଖିବ ବିବିଧ ଧାତୁରେ

ଦିଶୁଥିବ ସୁନ୍ଦର ।୮୮।

 

ଶାଳ-ତାଳ- ମାଳ ତମାଳ

ଧାଡ଼ି ଧାଡ଼ି ଶୋଭଇ,

ଲବଙ୍ଗ କକ୍କୋଳ ମରିଚ

ବାସେ ମନ ହରଇ ।୮୯।

 

ଠାବେ ଠାବେ ସ୍ୱଚ୍ଛ ନିର୍ଝ୍ଝର

ଦୂରୁ ବିଷାଦ ରେଖା

ପରାୟେ ଦର୍ଶନ ନିକରେ

ଯାଉଥିବ ତ ଦେଖା ।୯୦।

 

ହରିଡ଼ା ବାହାଡ଼ା ଅୟ ଳା

ପକ୍ୱ କଇଁଠ ଫଳେ

ପୂରିତ ଭୂରୁହ ସମୁହେ

ଥିବେ ତହିଁ ସୁଢ଼ଳେ ।୯୧।

 

ଶୁକ ସାରୀ ପିକ ବସନ୍ତ

ବନ୍ୟ କପୋତଚୟ

ପରକାଶୁ ଥିବେ ସଙ୍ଗୀତ -

ଭଙ୍ଗୀ ଦେଖାଇ ଲୟ ।୯୨।

 

ରକ୍ତ ଶ୍ୟାମ ଶୁଭ ବଦନ

କପି-କୁଳ ସାନନ୍ଦେ

ବୃକ୍ଷୁ ବୃକ୍ଷାନ୍ତରେ ନିରତେ

ଡ଼େଉଁଥିବେ ଅମନ୍ଦେ ।୯୧।

 

ହରିଣ ନିକର ମିଥୁନ

ଭାବେ ହୃଷ୍ଟ ଅନ୍ତରେ

ପରସ୍ପର ଶୃଙ୍ଖ କଣ୍ତୁତି

କରୁଥିବେ ସାଦରେ ।୯୪।

 

ସୁସଜ୍ଜିତ ଲତା ଭବନେ

ରମ୍ୟ ମଣ୍ତପ ପରେ

ପତ୍ର-ପୁଷ୍ପମୟ ସୁନ୍ଦର

ଶଯ୍ୟା ମାନସ ହରେ ।୯୫।

 

ଶୋଭଇ ଖୋଦିତ କନ୍ଦରା

ଗୃହ ଅନେକ ତହିଁ

ଚତୁଃଷଷ୍ଠି ବନ୍ଧ ବିଧାନ

କାରୁକାର୍ଯ୍ୟେ ଶୋଭଇ । ୯୬।

 

ସମୟେ ସମୟେ କିନ୍ନର

ସିଦ୍ଧ ଚାରଣଗଣ

ରମ୍ୟସ୍ଥାନ-ଦେଖି ତହିଁରେ

କରୁଥାନ୍ତି କ୍ରୀଡ଼ନ ।୯୭।

 

କୃତ୍ତ୍ରିମ ଶାର୍ଦୂଳ କେଶରୀ

ମତଙ୍ଗଜ ବରାହ

ଭଲୂକ ପ୍ରଭୃତି ହିଂସ୍ରକେ

ରାଜମାନ ତା କାୟ ।୯୮।

 

ସଙ୍କେତ ସଙ୍ଗତ ରମଣ

ରାମାମଣୀ କ୍ରୀଡ଼ନ

ହେଉଥିବ ତହିଁ ବହୁତ

କରିବ ହେ ଦର୍ଶନ ।୯୯।

 

ମୃଦୁଭାବେ ତହିଁ ଆଶ୍ଳେଷି

ଶ୍ରମ କରିବ ଦୂର

ପୁନର୍ବାର କ୍ରୀଡ଼ା ରଚନେ

ହେବେ ଯେଣେ-ଚତୁର । ୧୦୦।

 

ଏ ସକଳ ମନ ମୋହନ

ଦୃଶ୍ୟ ମାଧୁର୍ଯ୍ୟତତି

ଅବଲୋକି ଏକ ମୁହୂର୍ତ୍ତ

ଯିବ ତହୁଁ ଝଟତି ।୧୦୧।

 

କିଛି ଦୂରେ କ୍ରୀଡ଼ା ତଡ଼ାଗ

ରାଜେ ତହୁଁ ଉତ୍ତରେ

ପୂରି ରହିଅଛି ମଧୁର

ସ୍ୱଚ୍ଛ ସଲିଳ ଭରେ ।୧୦୨।

 

ଅଗାଧତା କଳି ନୁହଇ

ଷ୍ପଟିକର ସୋପାନ

ଚଉଦିଗେ ଶୋଭା ବିସ୍ତାରେ

ନାହିଁ ତା ଉପମାନ ।୧୦୩।

 

ହଂସ କାରଣ୍ତବ ଡ଼ାହୁକ

ଚକ୍ରବାକ ମିଥୁନ

କଳସ୍ୱନେ ପାର୍ଶ୍ୱ ମଣ୍ତନ୍ତି

ଯାର ସନ୍ତତେ ପୁଣ ।୧୦୪।

 

ଘାଟଜଳ ରାମାମଣିଙ୍କ

ଯକ୍ଷ କର୍ଦମ ରସ

ଆବର ଚନ୍ଦନ କୁଙ୍କମ

ପୂରେ ଦିଶେ ସରସ ।୧୦୫।

 

ପଦ୍ମିନୀ ନିକର ତହିଁ ରେ

କରି ସର୍ବଦା ବାସ

ସଜ ପ୍ରଷ୍ଫୁଟିତ ସୁମନ

ଛଳେ ପ୍ରକାଶି ହାସ ।୧୦୬।

 

ମଧୁପଙ୍କ ଗଞ୍ଜାଗେହସେ

ତହିଁ ମଧୁପଗଣ

ମଧୁପାନ କରି ଉନ୍ନତ୍ତେ

କରୁଥାନ୍ତି ଗୁଞ୍ଜନ ।୧୦୭।

 

ପ୍ରଭାତେ ବଣିକ- ଅମ୍ବର

ପସରାରେ ବହନ

ରଖିବା ବିଲୋକି ତପନ-

ପଦ୍ମରାଗ- ରତନ ।୧୦୮।

 

କିଣିବାକୁ ତହିଁ ନଳିନୀ

ନିଜ କୁସୁମ- କରେ

ଶିରିକି ଦେଖାଏ ଉଚିତ

ମୁଲ୍ୟ ବୋଲି ସହରେ ।୧୦୯।

 

ସୌଗନ୍ଧକ ନୀଳ ଉତ୍ପଳ

କୋକନନ୍ଦ କୈରବ

ବିକାଶନ୍ତି ତହିଁ ସାନନ୍ଦେ

ନିଜ ଶୋଭା ବିଭବ ।୧୧୦।

 

ଦୀପଦଣ୍ତି ମଧ୍ୟେ ବିରାଜେ

ଅତିଶୟ ସୁନ୍ଦରେ,

ଜଳଚରେ କ୍ରୀଡ଼ା କରନ୍ତି

ତହିଁ ପ୍ରମୋଦଭରେ ।୧୧୧।

 

ରାମାଗଣେ ଅତି ଉଲ୍ଲାସେ

ନିଜ ନିଜ ବଲ୍ଲଭ

ଧରି ସଙ୍ଗେ ଖେଳେ ମାତନ୍ତି

କରି ସୁଖ ସୁଲଭ ।୧୧୨।

 

ତାହା ଶୋଭାରାଶି ଉତ୍ତମ

ଭାବେ ହେରି ନୟନେ

ସୁଶୀତଳ ଗୁଣ ଘେନିମ

ତହୁଁ ସାନନ୍ଦ-ମନେ ।୧୧୩।

 

କ୍ଷଣ ସହବାସେ ଲଭିବ

ପରିମଳ ନିଶ୍ଚୟ,

ଗମିବ ପୁରତେ ଉତ୍ତର-

ଦିଶେ ହେ ଗନ୍ଧବହ ! ।୧୧୪।

 

ତହୁଁ ଯାଉଁ ତୁମ୍ଭ ନୟନ

ପଥେ ହେବ ପଥିକ

ଅବିରଳ ଚୂତ କାନନ,

ମନହରେ ଅଧିକ ।୧୧୫।

 

ଗ୍ରୀଷ୍ମେ ଘନଚ୍ଛାୟା ବିତରେ

ଦୂର ପଥିକ ଜନେ,

ସ୍ୱାଦୁତର ଫଳ ଅରପି

ବହେ ସନ୍ତୋଷ ମନେ ।୧୧୬।

 

ତୁମ୍ଭ ମିତ୍ର ମନମଥର

ଶର-ଶିଳ୍ପ-କାରକ

ତାଙ୍କ ଚାପବଲ୍ଲୀ-ସୁଗୁଣ-

ମଧୁକର ଗ୍ରାହକ ।୧୧୭।

 

ତହିଁ ଡାଳେ ଡାଳେ ମଧୁର

ପୁଂସ୍କୋକିଳ ଯୁବକ

ରସାଳ ମଞ୍ଜରୀ ଆସ୍ୱାଦି

ହୋଇ ଅତି ମାଦକ ।୧୧୮।

 

କଳକଣ୍ଠେ ବିଶ୍ୱମୋହନ

କାମ ବିଣା ଝଙ୍କାର

କୁହୂରାବ ଛଳେ ନିରତେ

କରୁଛନ୍ତି ବିସ୍ତାର ।୧୧୯।

 

ତହିଁ ଘନ ତରୁ ଛାୟାରେ

ହରି ଅୟନ-ଶ୍ରମ

ଜନମାଇଁ ଦେଇ ମାନସେ

ପଶୁ ପକ୍ଷି ବିଭ୍ରମ ।୧୨୦।

 

ଉନମାଦି ମଧୁ ସନ୍ଦୋହ

ପାନରତ ଭ୍ରମରେ,

ଚଳିବ ବିଳମ୍ବ ନ କରି

ବିହି ଗତି କ୍ରମରେ ।୧୨୧।

 

କୁଶଳ ନିବେଦି ଚଳିବ

ପଥଶାଖି ନିକରେ,

ଢାଳୁଥିବ ସୁଧାସମ୍ପର୍କେ

ଚରା-ଚର ଉପରେ ।୧୨୨।

 

ତବ ଆଗମନ ଦେଖି କେ

ଅବା ନୋହିବ ସୁଖୀ,

ସକଳ ଦୁର୍ଗତି ତେଜନ୍ତି

ତବ ସଙ୍ଗମେ ଦୁଃଖୀ ।୧୨୩।

 

ଦୀନ ହୀନ ରୋଗୀ ନିର୍ଦ୍ଧନ

ରାଜ ମୁକୁଟଧାରୀ

ତୁମ୍ଭମତେ ସର୍ବେ ସମାନ

ନାହିଁ ଊଣା କାହାରି ।୧୨୪।

 

ବରଷାଅ ଯେଣୁ ସବୁରି

ମନେ ଆନନ୍ଦାମୃତ,

ଜଗତ୍‌ପ୍ରାଣ ନାମ ବହିଛ

ଭୁତେ ଉତ୍ତମ ଭୁତ ! ।୧୨୫।

 

ପରଶେ ପରାଣେ ପରାଣେ

ବଳ ବୀର୍ଯ୍ୟ ଉତ୍ସାହ,

ବଢ଼ାଅ ବୋଲି ତ ତୁମ୍ଭର

ନାମ ସୁଗନ୍ଧବାହ ।୧୨୬।

 

ଚରାଚର ପ୍ରାଣ ରକ୍ଷାର୍ଥେ

ଢ଼ାଳି ନିଜ ଜୀବନ

ଶୀଘ୍ରଗାମୀ ହେତୁ ଆଶୁଗ

ନାମ କରି ଲମ୍ବନ ।୧୨୭।

 

ଜଗତେ ମାନବ ଭକତି

ଶ୍ରଦ୍ଧା ସିଂହାସନରେ

ବସି ପୂଜାପାଅ ନିରତେ

ମରୁବ୍ଦର ! ସୁଖରେ ।୧୨୮।

 

ଉତ୍ତରାର୍ଦ୍ଧ

[ରାଗ-ରାମକେରୀ]

 

ବିଲୋକିବ ତହିଁ ସୁରମ୍ୟ

ପୁର ସୁଷମା ଶିରୀ,

ତହିଁର ଉତ୍ତଙ୍ଗ ପ୍ରାସାଦେ

ଯଥା କୈଳାସ ଗିରି ।୧।

ଛନ୍ତି ତହିଁ ଗୌରୀ ସୁନ୍ଦରୀ

ସଦାଶିବ ମୁରତି,

ଶକ୍ତିଧର ଗଣନାୟକେ

ଶୋଭେ ସେହୁ ଧରିତ୍ରୀ ।୨।

ପାଞ୍ଚ ସାତ ତଳ ପ୍ରାସାଦେ

ଆହା କି ମନୋହର

ତା ଶଖେ ବିବିଧ ପତାକା

ଉଡଇ ଫରହର ।୩।

 

ଅଛନ୍ତି କି ସୁରଧୂନିରୁ

ଆଣି ସଲିଳ ପୂର

ବିରଚିବ ଅଭିଷେଚନ

ଜାଣି ଅତି ମଧୁର ।୪।

 

ଅଭ୍ରଂଲିହ ଚାରୁ ପ୍ରାସାଦ

ଶୋଭି ସ୍ୱର୍ଣ୍ଣ କଲଶ

ଦେଖିଲା ମାତ୍ରକେ ଦର୍ଶକ

ଚିତ୍ତହୁଏ ସରସ ।୫।

 

ତହିଁ ପରେ ମୀନ- ନୟନା

ସର୍ବ ଲକ୍ଷଣବତୀ

ବିବିଧ ବିଳାସ ବସନା

ଛନ୍ତି ମାତଙ୍ଗ ଗତୀ ।୬।

 

ଯା’ ଙ୍କୁ ଦେଖି ଶତ୍ର ଚିତ୍ତରେ

ରମ୍ଭା ଉର୍ବଶୀ ଭ୍ରମ

ଉପୁଜଇ ସ୍ୱର୍ଗ ସୀମାରେ

ଯେଶୁ ତାଙ୍କ ବିଭମ ।୭।

 

ଜଳଦ ପଟଳ ସୋପାନେ

ଦେଇ ନିଜ ଚରଣ

ରମଣ ପ୍ରାସାଦେ ଚଳନ୍ତି

ଯହିଁ ରମଣୀ-ଗଣ ।୮।

 

କଳକଣ୍ଠେ କଳନାଦିନୀ

କୁଳ ଆଳାପ ଶୁଣି

ଧ୍ୟାନ ତେଜି ସପ୍ତଋଷିଏ

ଚିନ୍ତା କୁଳିତ ପୁଣି ।୯।

 

ତାଙ୍କର ସଙ୍ଗୀତ ଅମୃତ

ସ୍ନାନ ସୁରମ୍ୟଗଳ

ତହୁଁ ଜାତ ନାଦ-ଅମୃତ-

ପାନେ ହୋଇ ତରଳ ।୧୦।

 

କେଉଁ ସୁରଙ୍ଗନା ହୁଅଇ

କ୍ରପାଭର ବିବଶା

କେଅବା କରଇ ଅସୂୟା

ଲଭି ଅମର୍ଷ ଦଶା ।୧୧।

 

ସେ ରମ୍ୟ ପ୍ରାସାଦ ଉପରେ

ମହା ସୁଖରେ ବସି

କେଉଁ ବୀଣା ଜିଣା ନାଦିନୀ

ବୀଣା ବଜାଏ ରସି ।୧୨।

 

ସେ ଝଙ୍କାର ବଶେ ବିହ୍ୱଳ-

ତର କାମ ରମଣ

ପ୍ରିୟା ପାଶେ ଆସି ସହରେ

କରେ ଅନୁକରଣ ।୨୩।

 

ବାସନ୍ତିକ ପିକ ପଞ୍ଚମ

ସ୍ୱର ତାହା ପୁରତେ

ଗଣନାରେ ଯୋଗ୍ୟ ନୋହିବ

ଜାଣ ଅନିଳ ! ସତେ ।୧୪।

 

ଶାରଦ ବାରିଦ ପଟଳେ

ଖେଳେ ଯଥା ଚପଳା

ଝଟକନ୍ତି ତଥା ସେ ହର୍ମା-

କୋଳେ ସଦା ଅବଳା ।୧୫।

 

ବସନ୍ତାଦି ଷଡ଼ ଋତୁଏ

ଯଥା ନନ୍ଦନ ବନେ

ସେବନ୍ତି ନିରତେ ତହିଁରେ

ଅତି ଆନନ୍ଦ ମନେ ।୧୬।

 

ସ୍ୱର୍ଗ ସୁଖ ଯହିଁ ଭୋଗନ୍ତି

ଯୁବା ଯୁବତୀ ଗଣ,

ନ ଜାଣନ୍ତି କେବେ କେବଣ

ଜନ ଅସୁଖ କଣ ।୧୭।

 

ସେ ରାଜ୍ୟର ରାଜ ନବର

ସର୍ବ ଭୁବନୁଁ ବର

ହରଇ ଦର୍ଶକ ମାନସ

ଯେଣୁ ବଡ଼ ସୁନ୍ଦର ।୧୮।

 

କି ବର୍ଣ୍ଣିବି ତାର ଗରିମା

ଦେଖି ନିଜୁଁ ବଳକା

ପଉର ପ୍ରାସଦ କପଟେ

ସ୍ତୁତିକରେ ଅଳକା ।୧୯।

 

ତାହାର ଉନ୍ନତି ମହିମା

କେହି ପାରିବ କହି,

ନନ୍ଦନୁ ତୋଳନ୍ତି ମନ୍ଦାର

ଯାହା ଉପରେ ରହି ।୨୦।

 

ଯା ଚନ୍ଦ୍ର ଶାଲିକା ପଞ୍ଜର

ଶୁକ ଶାରିକାଗଣ

କରୁଥାନ୍ତି ରମ୍ଭା ମେନକା

ଗାନ ଅନୁକରଣ ।୨୧।

 

ଆନିମେଷ ନିର୍ଣ୍ଣିମେଷହ

ମାତ୍ର ନାଗରୀଙ୍କର

ଦେବୀ ମାନବୀହ୍ୱ ବ୍ୟଞ୍ଜକ

ହୁଏ ବାତ ପ୍ରବର !।୨୨।

 

ନବ ନବ ରତ୍ନ ନିକରେ

ସୁନିର୍ମିତ ଭବନ-

କରେ ବିରଚଇ ମଘବା

ଶତ ସୁଶରାସନ ।୨୩।

 

ଶତ ଶତ ଚନ୍ଦ୍ର ସୂର୍ଯ୍ୟର

ମଧୁରିମା ଗରବ

ଯହିଁରେ ଖଚିତ ରତନେ

ସଦା କରେ ଖରବ ।୨୪।

 

ସ୍ୱପୁର ବିଭ୍ରମେ ମହେନ୍ଦ୍ର

ହେଳେ ପ୍ରବେଶି ଯହିଁ

କ୍ଷମା ଭିକ୍ଷା ନିଜେ କରନ୍ତି

ନୃପ ପୁରତେ ରହି ।୨୫।

 

ସ୍ୱବାମ ଲୋଚନା ମନାସି

ଯହିଁ ଦେବ ନିକର

ଆଳାପି ରହସ୍ୟେ ଲଭନ୍ତି

କାରାବାସ ସହ୍ୱର । ୨୬।

 

ନାରୀ-ମୁଖ ଚାରୁ ରମ୍ୟତା

ବଶେ ଯହିଁ ରଜନୀ

ଶାରଦ ପୂର୍ଣ୍ଣିମା ଭାବର

ଲାଭେ ଶୋଭେ ଅବନୀ ।୨୭।

 

ରାଜ ରାଜେଶ୍ୱର ଯଯାତି

ଛନ୍ତି ସେହି ନବରେ

ରାଜନ୍ୟ ମଉଳି ମଣି ସେ

ପୂର୍ଣ୍ଣ ସର୍ବ ଗୁଣରେ ।୨୮।

 

ଶୌର୍ଯ୍ୟଭରେ ଷଟବଦନ

ପରିହାସେ ତତ୍ପର

ଷଡ଼ଦଶ କଳା କଳିତ

ଚନ୍ଦ୍ରମୁଖେ ସୁନ୍ଦର ।୨୯।

 

କେଶ ଅନ୍ଧକାର ଉତ୍ତାରୁ

ଲଭି ନିଟିଳ ସ୍ଥାନ

ଅର୍ଧ ସୁଧାକର ସୁଷମା

କରେ ବିବର୍ଦ୍ଧମାନ ।୩୦।

 

ଏଣୁ ଭାବେ କାମ ସର୍ବଦା

ରଖି କୃଷ୍ଣ ଅଷ୍ଟମୀ

ସାଧେ ହରଜୟେ ମନ୍ତ୍ରକି

ସିଦ୍ଧେ ହୋଇଣ ଶ୍ରମୀ ।୩୧।

 

ତପସ୍ୟାନୁ ଚିତ ମାନସେ

ପାସେ ଭ୍ରୂଲତା ଛଳେ

ଥୋଇ ଦେଇ ନିଜ କୋଦଣ୍ତ-

ଦଣ୍ତ ରାଜେ ସୁଢ଼ଳେ ।୩୨।

 

ତାରା- ଛଳେ ତାଙ୍କ ନୟନ-

ପଦ୍ମ- ଯୁଗେ ବିରଞ୍ଚି

ରଖିଚି ଷଟ୍ପଦ ଦମ୍ପତୀ

ସାକ୍ଷିଭାବେ ବିରଚି ।୩୩।

 

ତିନିଶରେ ତିନି ଜଗତ

ଯେଣୁ କାମ ଦେବର

ଶେଷଶର ଯୁଗ ତୂଣୀର -

ବଡ଼ ନାସା ସୁନ୍ଦର ।୩୪।

 

ତେଣୁ ସିନା ବହେ ତହିଁରୁ

ଶ୍ୱାସ ସୁପରିମଳ

ନାହିଁ ତ ନ ଥିବ ଜଗତେ

ତେଡ଼େ ସୁମନୋହର ।୩୫।

 

ଅମ୍ଳାନ ପଙ୍କଜ ଯୁଗଳ

ନିଶ୍ଚେ ତାଙ୍କ ନୟନ

ଜେଣୁ ମ୍ଳାନ ନୁହେ ଲାଗିଣ

ମୁଖ ବିଧୁ କିରଣ ।୩୬।

 

ନବ ନବ ଅଙ୍କେ ଖୋଦିତ

କର୍ଣ୍ଣ ଯୁଗଳ ଛଳେ

ନବ ନବ ବିଦ୍ୟା ନିପୁଣ

ଯେଣୁ ପ୍ରତିଭା ବଳେ ।୩୭।

 

ଗଣ୍ତଦ୍ୱୟ ଅତି ମଧୁର

ଯେହ୍ନେ କାମ ଦର୍ପଣ

ଜିଣିଚି ଅଧର ବନ୍ଧୂକ -

ପୁଷ୍ପ ସୁଷମାଗଣ ।୩୮।

 

ଗୁଣଗଣ ନିଶ୍ଚେ ଗଣନା

କରିଅଛି ଏହାର

ରେଖା ଦେଇଅଛି ଅଧରେ

ତେଣୁ ବିଧି ନିକର ।୩୯।

 

ରମ୍ୟ ଗଳ ସତେ ବିପଞ୍ଚୀ

ଦେବୀ ଭାରତୀଙ୍କର

ତେଣୁ ପରକଟେ ତହିଁରୁ

ଶବ୍ଦ ସୁ-ମନୋହର ।୪୦।

 

କବାଟ ଦୁର୍ଦ୍ଧର୍ଷ ଆୟତ

ରମ୍ୟ ହୃଦୟ ସ୍ଥଳ

ଦର୍ଶକ ମାନସ ମୋହନ

ଆହା କେଡ଼େ ସୁନ୍ଦର ।୪୧।

 

ଭୁଜ ଯୁଗ ଦୃଢ଼ ଅର୍ଗଳ

ପୀନ ପୃଥୁଳ ତର

ଅରିପୁର ଭଙ୍ଗେ ଚତୁର

ବାସ ପରା- କ୍ରମର ।୪୨।

 

ଅଙ୍ଗୁଳି ନିକର ନିଶ୍ଚୟେ

ସ୍ୱର୍ଣ୍ଣ ଚମ୍ପକ କଳୀ-

ସୁଷମା ସମ୍ପଦ ହରଣେ

ଅଟେ ଅତିହିଁ ବଳୀ ।୪୩।

 

ରୋମାବଳୀ ଶୋଭା ନିବହେ

କାମ ଜାଙ୍ଗଳିକର

କୃଷ୍ଣନାଗ ଗର୍ବ ଖରବ

କରନ୍ତି ସେ ସହର । ୪୪।

 

ଉଦରର ଚାରୁ ମାଧୁରୀ

ଆହା କେଡ଼େ ମଧୁର

ଦର୍ଶନ ମାତ୍ରକେ ମାନସ

ମୋହି ଦିଏ, ଚତୁର !।୪୫।

 

ପଦ୍ମ ସୃଷ୍ଟି ମଧ୍ୟେ ନୃପତି

ତାଙ୍କ ଚରଣ ଦ୍ୱୟ

ଯେଣୁ ସୁଲିଖିତ ସହସ୍ର

ପଦ୍ମଙ୍କର ଆଶ୍ରୟ ।୪୬।

 

ସର୍ବ ସୁଲକ୍ଷଣ ନିଳୟ

ରମ୍ୟ ତର ଅରୁଣ

ଲାଖଇ ଦେଖିଲେ ଦର୍ଶନ

ତହିଁ ହୋଇ ଅତୂର୍ଣ୍ଣ ।୪୭।

 

ସୁବର୍ଣ୍ଣ କେତକୀ ବରନ

ତୁଚ୍ଛ କରେ ଯା କାନ୍ତି,

ମୂର୍ତ୍ତିମନ୍ତ କାମ ସାକ୍ଷାତେ

ବୋଲି ଯାହାଙ୍କ ଖ୍ୟାତି ।୪୮।

 

ପାଣ୍ତିତ୍ୟେ ଅଙ୍ଗିରା ନନ୍ଦନ,

କବି କବିପଣରେ,

ବିକ୍ରମେ ପବନ ଦେବସେ

ପୂର୍ଣ୍ଣ ସର୍ବ ଶାସ୍ତ୍ରରେ ।୪୯।

 

କୁବେର ଧିକ୍କାରି ସମ୍ପଦେ,

କ୍ଷମା ଗୁଣରେ କ୍ଷମା,

ଚାତୁର୍ଯ୍ୟ ଗାମ୍ଭୀର୍ଯ୍ୟ ଧଈର୍ଯ୍ୟେ

ଖ୍ୟାତି ଯା ଅନୁପମା ।୫୦।

 

ସୁ-ସମୟ ଦେଖି ତାହାଙ୍କୁ

ଜଣା କରିବ ଯାଈ

ହର୍ଷେ ବସିଥିବେ ଯେବେ ସେ

ରାମା ସଙ୍ଗ ନ ପାଈ ।୫୧।

 

ଉତ୍ସୁକାଇ ଦେଈ ତୁମ୍ଭରି

ସ୍ରୋତେ ତାଙ୍କର ଚିତ୍ତ

କାମବାଣେ ଅଳ୍ପ କରାଇ

ତାଙ୍କ ତନୁ କମ୍ପିତ ।୫୨।

 

ଉଲ୍ଲସାଇ ତାଙ୍କ ସର୍ବୋଙ୍ଗେ

ଚାରୁ ପୁଲକାବଳୀ

ଛନ୍ନ ଛନ୍ନ ମନ କରାଇ

ଅବିରତେ ତାଙ୍କରି ।୫୩।

 

ମୋତେ ନେଇ ପ୍ରଭଞ୍ଜନ ହେ !

ରଖି ତାଙ୍କ ଅନ୍ତରେ

କହି ମୋ ସନ୍ଦେଶ ଅଣାଅ

ଏଥି ମୃଗୟା ଛଳେ ।୫୪।

 

କହିବ ଅସୁର ନରେଶ

ବୃକ୍ଷପର୍ବା ତନୟା

ଝୁରି ମରୁଅଛି କର ହେ

ଥରେ ତାଙ୍କୁ ସୁଦୟା ।୫୫।

 

ଦାସୀଭାବେ ଆଶି ଥିଲେହେଁ

ସେ ତ ନୃପତି ସୁତା

ତୁମ୍ଭ ବିନା କାମାନଳେ- ସେ

ପୋଡ଼ି ହୋଇବେ ମୃତା ।୫୬।

 

ନୋହିବ ଅଧର୍ମ ତୁମ୍ଭର,

ଦାସୀ ଯେଣୁ ପ୍ରଭୁର,

ଧର୍ମ କି ନ ଜାଣ ତୁମ୍ଭେ ହେ;

କି କହିବି ଛାମୁର ।୫୭।

 

ସକଳ ଧର୍ମର ଆଳୟ

କେହ୍ନେ ତେଜିବ ଧର୍ମ

ଲଙ୍ଘିଲେ ଧରମ ମୋହର

ନିଶ୍ଚେ ଫାଟିବ କର୍ମ ।୫୮।

 

ଦେଖିଲି ସୁନ୍ଦର ମୁରତି

ଯେଉଁ ଦିନୁ ତୁମ୍ଭର

ଘାରି ଦେଉଅଛି ଅତନୁ

ବାଣେ ତନୁ ମୋହର ।୫୯।

 

କେତେବାର କଲି ସଙ୍କଳ୍ପ,

କେତେ ହର ଗଉରୀ

ପୂଜିଲି ମନାସି ତୁମ୍ଭଙ୍କୁ

ଭକ୍ତି ଶ୍ରଦ୍ଧାରେ ପୂରି ।୬୦।

 

ନୁହେଁ ନିଦ୍ରା ରାତ୍ରେ ଦିନେ, ହେ !

ଯଦି ହୁଏ ସୁଯୋଗ,

ହୁଏ ଆନନ୍ଦିତା ତାଙ୍କରି

ସୁଖମୟ ସମ୍ଭୋଗେ ।୬୧।

 

ଏଣୁ ଇଛେ ସଦା ସ୍ୱପନ,

ମାତ୍ର ନ ଆସେ ତାହା,

ମନ୍ଦ ଭାଗ୍ୟଜନେ ଇପ୍ସିତ

ଲାଭ ହୁଅଇ କାହା ।୬୨।

 

ତାଙ୍କ ନାମଗୁଣ ମୋହର

ଜାଣ ପ୍ରାତଃସ୍ମରଣ,

ତାଙ୍କର ଦର୍ଶନ କାମନା

ମୋର ସ୍ନାନ ବନ୍ଦନ ।୬୩।

 

ବଚନ ଅମୃତ ତାଙ୍କରି

ପାନେ ମୋହର ଇଚ୍ଛା,

ଅମୃତ ସମାନ ଭୋଜନେ

ଜନ୍ମେ ମୋର ଅନିଚ୍ଛା ।୬୪।

 

ସକଳ ଦୈନିକ କୃତ୍ୟ ତ

ତାଙ୍କ ନାମ ଚିନ୍ତନ,

ସେଥିଲାଗି ପ୍ରତି ପ୍ରଭାତେ

କରେ ବିଷ୍ଣୁ ବନ୍ଦନ ।୬୫।

 

ନପାଇଲେ ତାଙ୍କୁ ବାରେକ

କରି ଉଦବନ୍ଧନ

ଛାଡ଼ିଦେବି ନିଶ୍ଚେ କହୁଚି

ମୋର ପରାଣଗଣ ।୬୬।

 

ଅଥବା ଖାଇବି ଗରଳ

କରି ଅତି ଆଦର

ଶମନ ସଦନେ ହୋଇବ

ଆଗନ୍ତୁକା ଏଥର ।୬୭।

 

କିଅବା ଅନଳେ ଆହୁତି

ଦେବି ଏ ତନୁ ମୋର

ବିଚାରିବି ନାହିଁ କିଞ୍ଚିତେ

ଚିତେ ଏକର୍ମ୍ମ ଘୋର ।୬୮।

 

ଜଳରେ ପ୍ରବେଶି ସାରିବି

ମୋର ଏ ଭବଲୀଳା

କି କରିବ ଆଉ ଉନ୍ମତ୍ତ

କାମ, ଲାଭୁଁ, ସେ ବ୍ରୀଡ଼ା ।୬୯।

 

ଆଉ ତା ଯାତନା କିଞ୍ଚିତେ

ମୁହିଁ ସହି ନ ପାରେ,

କେସନେ ରଖିବି ଜୀବନ

ଆଉ ତାଙ୍କ ବିନାରେ ।୭୦।

 

କହିବ ଅନିଳ ! ଏହାଙ୍କୁ

ଏ ମୋ ସନ୍ଦେଶ ବାଣୀ,

ଆସିଥିଲେ ଏହି ବନକୁ

ହୋଇ କୋଦଣ୍ତପାଣି ।୭୧।

 

ଅତି ଶ୍ରାନ୍ତ ହୋଇ ଥିଲେ ସେ,

ମୃଗ ଅନ୍ୱେଷି ବନେ

ମୋ କୁଟୀରେ ହେଲେ ଅତିଥି

ଶ୍ରମ ତେଜିବା ମନେ ।୭୨।

 

ଚରଣେ ତାଙ୍କରି ସେକ୍ଷଣି

କରି ପ୍ରଣାମାବଳି

ପୂଜିଲି ଷୋଡ଼ଶୋପଚାରେ

ତାଙ୍କ ପଦାଦ୍ବକଳୀ ।୭୩।

 

ବିନୟି ବହୁତ କହିଲି

କରଯୋଡ଼ି ପୁରତେ,

ଦୟାକରି ତେବେ କହିଲେ

ନର ନାୟକ ମତେ ।୭୪।

 

ତୁମ୍ଭେ ଦାସୀଜନ ହେଲେହେଁ

ନୁହ ପ୍ରକୃତ ଦାସୀ

ଦେବଯାନୀ କୋପେ ଘଟିଲା

ସିନା ଏହା ସୁହାସି !।୭୫।

 

ତଥାପି ତୁମ୍ଭେ ତ ମୋହର

ଅଟ ପ୍ରେମ ଆଧାର

ସୁନ୍ଦରୀ ମଉଳି ରତନ !

ଏ ବାକ୍ୟ ନିରାଧାର ।୭୬।

 

ରହିବାକୁ ଦିନ କେତେକ

କଲି ମୁଁ ଅନୁରୋଧ,

ତା ଶୁଣି କମ୍ପିଲେ ଭୟରେ

ଯଥା ଅତି ନିର୍ବୋଧ ।୭୭।

 

ଏକଆଡ଼େ କାମୁ, ଅପର

ଆଡ଼େ ଭାର୍ଗବୁଁ ଭୟ

ତୁମ୍ଭରି ମାନସେ ସେକ୍ଷଣି

ହୋଇଗଲା ଉଦୟ ।୭୮।

 

ଦିନେ ନୃପ ଅନ୍ତଃପୁରରୁ

ଆସି ଯୁବତିଗଣ

ରକ୍ତାଶୋକ ମୂଳେ ମଦନ

କରୁଥିଲେ ପୂଜନ ।୭୯।

 

ଏ ସମୟେ ମମ ଅଭୀଷ୍ଟ

କଳ୍ପଲତିକା ଫଳ

ଉପଗତ ହେଲେ ନରେଶ

ଦିବ୍ୟବେଶେ ସୁନ୍ଦର ।୮୦।

 

ଦେଖି ସୀମନ୍ତିନୀ ସକଳେ

ତରତରେ ଉଠିଲେ

ସ୍ୱର୍ଣ୍ଣଭଦ୍ର ପୀଠ ଉପରେ

ବିଜୟେ କରାଇଲେ ।୮୧।

 

ସୁଗନ୍ଧ ଚନ୍ଦନ ସର୍ବାଙ୍ଗେ

ଦେଲେ ବୋଳି ହରଷେ

ସୁବାସ କର୍ପୁର ଅରପି

ମାତି ଗଲେ ସେ ରସେ ।୮୧।

 

ତାମ୍ୱୁଳ ବୀଟିକା ଅନ୍ୟୋନ୍ୟେ

କଲେ ତହିଁ ବଣ୍ଟନ

ମାଳା ଦେଲେ କେତେ ପ୍ରକାରେ

ଗୁନ୍ଥି ଚାରୁ ସୁମନ ।୮୩।

 

ଧୂପ ଦୀପ ବିଧି ଉତ୍ତାରେ

କଲେ ତହୁଁ ଆରତି

ପ୍ରଦକ୍ଷିଣ କରି ରଚିଲେ

ସର୍ବେ ଭାବ ବ୍ୟକତି ।୮୪।

 

କଟାକ୍ଷ ବିସ୍ମୟ ସୁସ୍ମିତ

ହାସ ଭାଷଣ ଆଦି

ଶୃଙ୍ଗାର ବିଭବ ସେ କାଳେ

ବହୁଗୁଣେ ସମ୍ପାଦି ।୮୫।

 

କ୍ରମେ କ୍ରମେ ହେଲା ଶୃଙ୍ଗାର

ତହିଁ ପରିବର୍ଦ୍ଧିତ,

ଚର୍ଚ୍ଚରି କ୍ରୀଡ଼ନେ ସବୁରି

ଅଙ୍ଗ ହେଲା ଶୋଭିତ ।୮୬।

 

କାମୁକୀ ପ୍ରକର ମଦନ

ତୀକ୍ଷ୍ମବାଣ ସଞ୍ଚୟେ

ହୋଇଲେ ଉନ୍ମାଦେ ଉନ୍ନିତ୍ତ -

ତମ ସେହି ସମୟେ ।୮୭।

 

ପଶିଲେ ଯାଇଣ ସଲିଳେ

ଶୃଙ୍ଗ ଶୋଭଇ କରେ

ଜଳ ମରାମରି ହୋଇଲେ

ଅତି ଆନନ୍ଦ ଭରେ ।୮୮।

 

ଦେଖୁଥିଲି ନିଜ କୁଟୀରେ

ସେହି ଅମୀୟ ଖେଳା

ବୁଡ଼ି ଯାଉଥିଲା ଶୃଙ୍ଗାର

ଊର୍ମିମାଳେ ମୋ ଭେଳା ।୮୯।

 

କଟାକ୍ଷେ ଦେଲେ ସେ ସଙ୍କେତ

ଯେଣୁ ନୃପମଣ୍ତନ

କିଛି ଦିନ ପାଇଁ ରଖିଚି

ଏହି ଛାର ଜୀବନ ।୯୦।

 

-* ଉତ୍ତରାର୍ଦ୍ଧ-ସମାପ୍ତ *-